ଲତା
ମଙ୍ଗେସକର
ଲତା
ମଙ୍ଗେସକର ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ
ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଛି ।
ଜୀବନ
ଓ ପରିବାର
ଲତା
ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ
କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର
ଆର୍ଟିଷ୍ଟ ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।
ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା
କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍ରେଗରେ ଦେହାନ୍ତ
ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ଲତା ଏବେ
ଯାଏଁ ଅବିବାହିତ ଭାବେ ଜୀବନ ବିତାଉଛନ୍ତି ।
ସଙ୍ଗୀତ
ଜୀବନ
ପରିବାରର
ଭରଣପୋଷଣ ନିମନ୍ତେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଲତା ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି
ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର
'କିଟ୍ଟି ହାସଲ'ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ
କରିଥିଲେ । ମୁମ୍ବାଇରେ ଏକ ଲୋକାଲ୍ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ତାଙ୍କୁ 'ଆପ୍ କି ସେବା ମେଁ'ରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ
ମିଳିଥିଲା । ପରେ ତାଙ୍କୁ 'ମଜବୁର୍' ଓ 'ବେଦର୍ଦ୍' ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି
ଚଳଚ୍ଚିତ୍ରଦ୍ୱାରା ସେ ସଙ୍ଗୀତ ଜଗତରେ କିଛି ମାତ୍ରାରେ ପରିଚିତ ହେଲେ । କିନ୍ତୁ ପରେ ଅନ୍ଦାଜ୍, ବରସାତ୍ ଓ ମହଲ୍ ଚଳଚ୍ଚିତ୍ରଦ୍ୱାରା ସେ
ସଙ୍ଗୀତ ମହଲରେ ପୁରାପୁରି ଭାବେ ଛାଇଗଲେ । ୧୯୬୩ରେ ଭାରତ - ଚୀନ ଯୁଦ୍ଧ ସମୟରେ ଲତାଙ୍କର
ଦେଶାତ୍ମବୋଧକ ଗୀତ 'ଏ ମେରେ ୱତନ୍ କେ ଲୋଗୋଁ'ରେ ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ
ନେହେରୁ ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ
କରାଯାଇଥିଲା । ୧୯୭୦ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ
ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍,
କଲ୍ୟାଣଜୀ ଆନନ୍ଦଜୀ ଓ ଆର ଡି ବର୍ମନ୍ଙ୍କ ସହ
କାମ କରିଥିଲେ । ସେ 'ହମ୍ ଆପକେ ହେ କୌନ୍', 'ବୀରଜାରା' ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ସେ ରେହେମାନ୍ଙ୍କ
ଭଳି ନୂଆ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଛନ୍ତି । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ
ପାଇଁ ସମର୍ପିତ କରିଛନ୍ତି । ଏବେବି ସେ ରେକର୍ଡିଂ ପାଇଁ ଗଲେ ଷ୍ଚୁଡିଓ ବାହାରେ ଯୋତା
ରଖିଥାନ୍ତି । ଗୁଲଜାର୍ଙ୍କ ରଚିତ ଓ ସେ ନିଜେ ଗାଇଥିବା ଏକ ଗୀତ 'ନାମ୍ ଗୁମ୍ ଯାଏଗା , ଚେହେରା ୟେ ବଦଲ୍ ଯାଏଗା , ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.. 'କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି
ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି ।
ମାନ
ସମ୍ମାନ
୧୯୫୮
- ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ
୧୯୬୯
- ପଦ୍ମ ଭୂଷଣ
୧୯୬୯
- ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟିକା
୧୯୮୯
- ଦାଦା ସାହେବ୍ ଫାଲକେ ପୁରସ୍କାର
୧୯୯୩
- ଜୀବନ ବ୍ୟାପି ସାଧନା ପୁରସ୍କାର
୧୯୯୭
- ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୯
- ପଦ୍ମ ବିଭୂଷଣ
୨୦୦୧
- ଭାରତ ରତ୍ନ
୨୦୦୯
- ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ
୨୦୧୧
- ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡରେ ସ୍ଥାନିତ


0 Comments