ଯଦୁମଣି ମହାପାତ୍ର
ଯଦୁମଣି ମହାପାତ୍ର ନୟାଗଡ଼ ଜିଲ୍ଲାର ଇଟାମାଟି
ଗାଁରେ ୧୭୮୩ ମସିହାରେ ଜନ୍ମିତ ଜଣେ କବି ଥିଲେ । ସେ ଉତ୍କଳଘଣ୍ଟ ଭାବରେ ଖ୍ୟାତ । ସେ ରାଘବ
ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ନାମକ ଦୁଇଗୋଟି ବୃହତ୍ କାବ୍ୟ, ଅନେକ ଚଉପଦୀ ଓ କ୍ଷୁଦ୍ରଗୀତ
ରଚନା କରିଛନ୍ତି । ଯଦୁମଣିଙ୍କ ରଚନା ରୀତିଯୁଗୀୟ ଶୈଳୀରେ ଲିଖିତ ଓ ଅତ୍ୟନ୍ତ
ପାଣ୍ଡିତ୍ୟପୂର୍ଣ୍ଣ । ଏହା ଛଡ଼ା ନିଜର ହାସ୍ୟୋଦ୍ଦୀପକ ଛୋଟ ଛୋଟ ଗୀତ ଓ ଆଶୁକବିତ୍ୱ ଲାଗି ଯଦୁମଣି
ଓଡ଼ିଶାର ପୁରପଲ୍ଲୀରେ ଭାରି ପ୍ରସିଦ୍ଧ ।
ଜନ୍ମ
ଆଠଗଡ଼
ରାଜସଭାରେ ମୁକୁନ୍ଦ ମହାପାତ୍ର ନାମକ ଜଣେ କୁଶଳୀ ଚିତ୍ରକାର ଓ ସ୍ଥପତି ବାସ କରୁଥିଲେ । ସେ
ରଣପୁରଗଡ଼ର ଯୋଶୀ ରତ୍ନାକରଙ୍କ କନ୍ୟା ଶୋଭାଙ୍କୁ ବିବାହ କରିଥିଲେ । ବିବାହର ପାଞ୍ଚ ବର୍ଷ ପରେ
ମଧ୍ୟ ଶୋଭାଙ୍କର ସନ୍ତାନ କେହି ନ ହେବାରୁ ଉଭୟେ ଯଦୁକୃଷ୍ଣ ନାମକ ବିଗ୍ରହଙ୍କୁ ଆରାଧନା କରୁଥିଲେ
। ପରେ ୧୭୮୧ ମସିହା ଜାନୁଆରୀ ଆଠତାରିଖରେ ତାଙ୍କର ପୁତ୍ର ଜନ୍ମ ହେଲା । ଯଦୁକୃଷ୍ଣଙ୍କ
ଅନୁକମ୍ପାରୁ ପୁତ୍ର ହୋଇଥିବାରୁ ମୁକୁନ୍ଦ ନିଜ ପୁଅର ନାଆଁ 'ଯଦୁମଣି' ରଖିଲେ । ସ୍ଥପତି ବଂଶରେ ଜନ୍ମଲାଭ
କରିଥିବାରୁ ଯଦୁମଣି ପ୍ରତିମା ନିର୍ମାଣ ଓ ଚିତ୍ରାଙ୍କନ ଇତ୍ୟାଦିରେ ଦକ୍ଷ ଥିଲେ ।
ବଢ଼ାଇ
ଜାତିରେ ଜନ୍ମିତ ହୋଇଥିବାରୁ ସେ ଆରମ୍ଭରେ ଅନେକ ନିର୍ଯ୍ୟାତିତ ହୋଇଥିଲେ ମଧ୍ୟ ପରେ ପରେ ତାଙ୍କ
ପାଣ୍ଡିତ୍ୟ ହେତୁ ସେ ରାଜଦରବାରମାନଙ୍କରେ ଆଦର ଲାଭ କଲେ । ଏହି କଥାକୁ ସେ ନିଜ କାବ୍ୟର
ପ୍ରଥମାଂଶରେ ଲେଖିଛନ୍ତି :
ଶୂଦ୍ରମୁଖୁ
ଏ ହୋଇଛି ବାହାର
ରୌଦ୍ରତା
ବହି କେହି ନ ବିଚାର
ବିଧୁ
ବିଧୁନ୍ତୁଦ ଉଚ୍ଛିଷ୍ଟ ଜଣା
ଶିବେ
ବାଜେ ଚନ୍ଦ୍ରଚୂଡ଼ ବାଜଣା ସେ
ପଦ୍ମାପତିଙ୍କର
ପଦ ଯେ
ସମ୍ଭବ
ସମ୍ପଦ ପଦାର୍ଥରେ ବ୍ୟର୍ଥ ଖଣ୍ଡିବାର ଅପବାଦ ଯେ ।
—ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର
ଶ୍ରୀ
ଚକ୍ରଧର ମହାପାତ୍ର ଏହାକୁ ଅର୍ଥ କରିଛନ୍ତି : "ଏହି ଗ୍ରନ୍ଥ ଜଣେ ଶୂଦ୍ର ବ୍ୟକ୍ତିର ମୁଖରୁ
ପ୍ରକାଶ ହୋଇଛି ବୋଲି କେହି ରୌଦ୍ର ଭାବରେ ବିଚାର କର ନାହିଁ । ଚନ୍ଦ୍ର ରାହୁର ଉଚ୍ଛିଷ୍ଟ ହେଲେ
ସୁଦ୍ଧା ମହାଦେବ ଶିବଙ୍କ ମସ୍ତକରେ ଶୋଭିତ; ସେହିପରି ଏହି କାବ୍ୟ କୃଷ୍ଣ-ବିଷ୍ଣୁଙ୍କ ଚରିତ ବିଷୟରେ ହୋଇଥିବାରୁ ସବୁ
ଅପବାଦରୁ ଊର୍ଦ୍ଧ୍ୱରେ ।"
ଶିକ୍ଷା
ଯଦୁମଣିଙ୍କ
ମାତା ଶୋଭା ଛାନ୍ଦ ଓ ପୁରାତନ ସାହିତ୍ୟରେ ନିପୁଣ ଥିବାରୁ ବାଲ୍ୟକାଳରୁ ସେ ଏସବୁ ଶୁଣିବାକୁ
ପାଉଥିଲେ । ବାର ବର୍ଷ ବୟସରେ ଇଟାମାଟି ନିକଟସ୍ଥ ମାନ୍ଧାତାପୁରରେ ଜଣେ ସଂସ୍କୃତ
ପଣ୍ଡିତଙ୍କଠାରୁ ଯଦୁମଣି ସଂସ୍କୃତ ଶିକ୍ଷା ଆରମ୍ଭ କରିଥିଲେ । ଚାରି ବର୍ଷ ଅଧ୍ୟୟନ ପରେ ସେ
ପଣ୍ଡିତ ବିଦ୍ୟାଧର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ଘୁମୁସର ଯାତ୍ରା କରିଥିଲେ ।
ହୟଗ୍ରୀବ
ମନ୍ତ୍ର
ଘୁମୁସରର
ପଞ୍ଚମୁଖ ଭଗବାନ କବିରାଜ ବାହିନୀପତି ଓଡ଼ିଶାର ବିଖ୍ୟାତ ପଣ୍ଡିତ ଥିଲେ । ଶିଷ୍ୟର ଏକାଗ୍ରତା
ପରୀକ୍ଷା କରିବା ପାଇଁ ବାହିନୀପତି ଯଦୁମଣିଙ୍କୁ ହୟଗ୍ରୀବ ମନ୍ତ୍ର ସାଧନ କରିବା ପାଇଁ
ନିର୍ଦ୍ଦେଶ ଦେଲେ । ଶହେ ଦଶଦିନ ଏହି ମନ୍ତ୍ରଜପ କରିବା ପରେ ଯଦୁମଣି ଜ୍ୱରପୀଡ଼ିତ ହୋଇ ଅବଶିଷ୍ଟ
ଦଶଲକ୍ଷ ଥର ମନ୍ତ୍ରଜପ କରିପାରିନଥିଲେ । ଏଣୁ ସେ ଆରାଧ୍ୟ ଦେବତାଙ୍କ ଅନୁକମ୍ପା ଲାଭ
କରିପାରିନଥିଲେ ଓ ଜୀବନସାରା ଦରିଦ୍ର ହୋଇ ରହିଥିଲେ ବୋଲି ଜନଶ୍ରୁତିରେ ରହିଛି । ଅଠର ବର୍ଷ
ବୟସରେ ଯଦୁମଣି ଘୁମୁସରରୁ ଫେରିଲା ବେଳକୁ ଦଶପଲ୍ଲା କୁଞ୍ଜଗଡ଼କୁ ଯାଇଥିଲେ । ସେଠାରେ ତାଙ୍କ
ଅଜା ରହୁଥିଲେ । କୁଞ୍ଜଗଡ଼ରେ ପିଣ୍ଡିକ ରାୟଗୁରୁ ନାମକ ବିଖ୍ୟାତ ଶାସ୍ତ୍ରବିତ୍ଙ୍କ ସହ
ଯଦୁମଣିଙ୍କ ପରିଚୟ ହୋଇଥିଲା । ଏହାଙ୍କ ସଂସ୍ପର୍ଶରେ ଆସି ଶାସ୍ତ୍ର, ପୁରାଣ, କାବ୍ୟଚର୍ଚ୍ଚା ଇତ୍ୟାଦିରେ ଯଦୁମଣି ଯୋଗ ଦେଇଥିଲେ ।
ଖଞ୍ଜନା
ଯଦୁମଣି
ପ୍ରତିଦିନ ଯାଇ ରାୟଗୁରୁଙ୍କ ଘରେ ପୁରାଣ ଗାନ କରୁଥିଲେ । ତାଙ୍କୁ ଶୁଣିବା ପାଇଁ ସେଠାକୁ ଅନେକ
ଲୋକ ଆସନ୍ତି । ଏମାନଙ୍କ ମଧ୍ୟରୁ ରଘୁନାଥ ସୂତ୍ରଧାରଙ୍କ ଝିଅ ଖଞ୍ଜନା ଅନ୍ୟତମ । ରାୟଗୁରୁ ଓ
ସୂତ୍ରଧାରଙ୍କ ଆଶୀର୍ବାଦ ସହ ଯଦୁମଣି ଓ ଖଞ୍ଜନାଙ୍କ ବିବାହ ଅନୁଷ୍ଠିତ ହେଲା । ଖଞ୍ଜନା ନିଜେ
ନୃତ୍ୟରେ ନିପୁଣ ଓ ଭଲ ଗାୟିକା ଥିଲେ । ପରବର୍ତ୍ତୀ ଜୀବନରେ ଯଦୁମଣିଙ୍କ ରଚିତ ଅନେକ ଚଉପଦୀ ଗୀତ
ଏହି ଖଞ୍ଜନାଙ୍କ ଲାଗି ଉଦ୍ଦିଷ୍ଟ ।
ଯଦୁମଣି
ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ଦରବାରରେ ସେ ସଭା ଓ ରାଜକବି ଥିଲେ । ଆଠଗଡ଼ର
କବିସୂର୍ଯ୍ୟ ବଳଦେବ ରଥଙ୍କର ସମକାଳୀନ ଥିଲେ । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଥିଲା ।
୧୮୬୮ରେ ତାଙ୍କର ପରଲୋକ ହୋଇଥିଲା ।
ରଚନାବଳୀ
ସାହିତ୍ୟିକ
କୃତି
ଯଦୁମଣି
ଦୁଇଗୋଟି ପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ ରଚନା କରିଥିବା ଜଣାଯାଏ ।
ରାଘବ
ବିଳାସ
ରାଘବ
ବିଳାସ ରାମାୟଣ ଆଧାରିତ କାବ୍ୟ । ଏହା ୪୧ଟି ଛାନ୍ଦରେ ଲିଖିତ ।
ପ୍ରବନ୍ଧ
ପୂର୍ଣ୍ଣଚନ୍ଦ୍ର
ଏହା
ଆଠଗୋଟି କଳାରେ ରଚିତ । କୃଷ୍ଣଲୀଳା ଆଧାରିତ ।
ଅନ୍ୟାନ୍ୟ
ରଚନା
ଏହା
ଛଡ଼ା ଯଦୁମଣି କେତେକ ଭଜନ, ଚଉପଦୀ ଇତ୍ୟାଦି ରଚନା କରିଛନ୍ତି । ସେ
ଖଣ୍ଡପଡ଼ା ଓ ନୟାଗଡ଼ (ନବଦୁର୍ଗ) ରାଜାଙ୍କ ଭଣତିରେ କେତେକ ଗୀତ ରଚନା କରିଥିବା ଜଣାଯାଏ ।
ସଙ୍ଗୀତ
ଯଦୁମଣିଙ୍କ
ରଚନାବଳୀର ବର୍ତ୍ତମାନ ପ୍ରକାଶିତ ସଂସ୍କରଣଗୁଡ଼ିକରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ରାଗତାଳ
ନିର୍ଦ୍ଦେଶ ଦେଖାଯାଏ, ଯଥା ରାଗ ମଧ୍ୟରେ : ତୋଡ଼ି ପରଜ, ପୂରବୀ, ରସକେଦାର, ମୁଖାବରୀ, ଆହାରି, କଲ୍ୟାଣ, ପରଜ, କାଫି, ସାରଙ୍ଗ, ସୁରଠ, ଆଶାବରୀ, ଯମକରାଜ, ଆଷାଢ଼ ଶୁକ୍ଳ,
ମଙ୍ଗଳ ଗୁଜ୍ଜରୀ, ରେଗୁପ୍ତ, ଭାଟିଆରି ଓ ତାଳରେ : ସରିମାନ, ଝୁଲା, ଆଠତାଳୀ, ଏକତାଳୀ, ଆଡ଼ଖେମଟା, ନାତି । ତାଙ୍କ କାବ୍ୟଗୁଡ଼ିକ ଛାନ୍ଦ ରୀତିରେ
ପାରମ୍ପରିକ ଓଡ଼ିଆ ଛନ୍ଦ-ବୃ୍ତ୍ତରେ ରଚିତ ।
ସଂକଳନ
ଓ ପ୍ରକାଶନ
ଯଦୁମଣିଙ୍କ
ରଚନାସବୁକୁ ଶ୍ରୀ ଚକ୍ରଧର ମହାପାତ୍ର ସଂକଳିତ କରି ଯଦୁମଣି ଗ୍ରନ୍ଥାବଳୀ ନାମରେ ୧୯୬୪ ମସିହାରେ
ପ୍ରକାଶିତ କରିଛନ୍ତି । ଏହି ବହିରେ ଯଦୁମଣିଙ୍କ ଜୀବନୀ, କିମ୍ବଦନ୍ତୀ,
ହାସ୍ୟଗୀତ, ଭଜନ, ଚଉପଦୀ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଓ ରାଘବ ବିଳାସ
ରହିଛି ।

0 Comments