ନନ୍ଦ କିଶୋର ବଳ



ନନ୍ଦ କିଶୋର ବଳ

ନନ୍ଦ କିଶୋର ବଳ (୨୨ ଡିସେମ୍ବର ୧୮୭୫-୧ ଜୁଲାଇ ୧୯୨୮) ଓଡ଼ିଆ ସାହିତ୍ୟର ପ୍ରାକ-ଆଧୁନିକ କାଳର ଜଣେ କବି ଥିଲେ । ସେ ଓଡ଼ିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ତାଙ୍କୁ ପଲ୍ଲୀ କବି ବୋଲି ସମ୍ବୋଧନ କରାଯାଇଥାଏ ।

ଜୀବନକାଳ

ସେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ କୁସୁପୁର ଗାଆଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ମୟୀ ଦେବୀ । ଶୈଶବରେ ସେ "ରସାନନ୍ଦ ଜେନା" ନାମରେ ପରିଚିତ ଥିଲେ, ପିଉସୀ ପୋଷ୍ୟପୁତ୍ର କରିନେବା ପରେ ସେ "ନନ୍ଦକିଶୋର ବଳ" ଭାବରେ ପରିଚିତ ହେଲେ । ବାଲ୍ୟଜୀବନ କୁସୁପୁରରେ ହିଁ କଟିଥିଲା । ଗାଁ ସ୍କୁଲରୁ ଆରମ୍ଭ କରି, ସେ କଟକର ଟାଉନ ସ୍କୁଲ, ରେଭେନ୍‌ସା କଲିଜିଏଟ ସ୍କୁଲ, କେନ୍ଦ୍ରାପଡା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।

ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ପ୍ରତିଷ୍ଠିତ କଟକର ଟାଉନ ସ୍କୁଲରୁ ନନ୍ଦ କିଶୋର ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । କିଛି ବର୍ଷ ପରେ, ସେ ସ୍କୁଲ ସବ୍-ଇନସିପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ଏହି ଚାକିରିରେ ବାରମ୍ବାର ଗସ୍ତ ଓ ବଦଳି ଯୋଗୁଁ ତାଙ୍କ ଦେହ ଖରାପ ହେଉଥିଲା । ଏହି କାରଣରୁ, ସେ ସ୍ୱେଚ୍ଛାକୃତ ଅବସର ନେଇ ଗାଁରେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ ପୁନର୍ବାର କଟକ ଆସିବାକୁ ପଡିଥିଲା ।

୧୯୨୮ ମସିହା ଜୁଲାଇ ୧ତାରିଖରେ, ବାଉନ ବର୍ଷ ବୟସରେ ନନ୍ଦ କିଶୋର ଇହଲିଳା ସମ୍ବରଣ କରିଥିଲେ ।

ରଚନାବଳୀ

ନନ୍ଦ କିଶୋର, କଲେଜର ପଢିଲା ବେଳୁହିଁ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ । ନିଜର ପ୍ରଥମ ପ୍ରବନ୍ଧକୁ ସେ "ପଲ୍ଲୀ ଚିତ୍ର" ନାମରେ କବିତାର ରୂପ ଦେଇଥିଲେ । ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟିଉଠିଥାଏ । ପିଲାମାନଙ୍କ ପାଇଁ ତାଙ୍କଦ୍ୱରା ରଚିତ "ନାନା ବାୟା ଗୀତ" ଓଡ଼ିଶାର ପୁରପଲ୍ଲିରେ ବେଶ୍ ପ୍ରଚଳିତ । ସେ ୧୦୦ରୁ ଅଧିକ ସନେଟ ମଧ୍ୟ ଲେଖିଯାଇଛନ୍ତି । ତାଙ୍କ ସନେଟ ଗୁଡ଼ିକ ପ୍ରକୃତି ଓ ଜନଜୀବନର ଛବିରେ ପୁଷ୍ଟ ।

ନନ୍ଦ କିଶୋରଙ୍କ ନାନାବାୟା ଗୀତ:

ମେଘ ବରଷିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା ।

୧୯୨୫ରେ ସେ କନକଲତା (ଉପନ୍ୟାସ) ନାମରେ ଉପନ୍ୟାସଟିଏ ମଧ୍ୟ ରଚିଯାଇଛନ୍ତି । ଏହା ଧାରାବାହିକ ଭାବରେ ୧୯୧୩ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା । ଗାଉଁଲି ସରଳ ଜୀବନକୁ ଯୌତୁକ ଓ ବାଳବିବାହ କିପରି କଳୁଷିତ କରିଥାଏ ତାହାର ଛବି ଏଥିରୁ ଦେଖିବାକୁ ମିଳିଥାଏ । ନନ୍ଦ କିଶୋରଙ୍କ ପଦ୍ୟାବଳୀ ଗୁଡିକର ମୂଲ୍ୟାୟନ କରି, ବ୍ୟାସକବି ଫକୀର ମୋହନ କହିଥିଲେ :

"ପଢିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା,
କେହି କେବେ କହିନାହିଁ ଏ ପ୍ରକାର କଥା॥"


ନନ୍ଦ କିଶୋରଙ୍କଦ୍ୱାରା ରଚିତ ପୁସ୍ତକ:

  1. ପଲ୍ଲୀ ଚିତ୍ର
  2. ନାନା ବାୟା ଗୀତ- ୧୯୩୪
  3. ନିର୍ଝରିଣୀ
  4. ବସନ୍ତ କୋକିଳ
  5. ତରଙ୍ଗିଣୀ
  6. ଚାରୁଚିତ୍ର
  7. ଜନ୍ମଭୂମି
  8. ନିର୍ମାଲ୍ୟ (କବିତା)
  9. ପ୍ରଭାତ ସଙ୍ଗୀତ
  10. ସାନ୍ଧ୍ୟ ସଙ୍ଗୀତ
  11. କୃଷ୍ଣ କୁମାରୀ
  12. ଶର୍ମିଷ୍ଠା
  13. କନକଲତା (ଉପନ୍ୟାସ)


Post a Comment

0 Comments