ଚକ୍ରବର୍ତ୍ତୀ
ରାଜଗୋପାଳାଚାରୀ
ଚକ୍ରବର୍ତ୍ତୀ
ରାଜଗୋପାଳଚାରୀ (୧୦ ଡିସେମ୍ବର ୧୮୭୮ - ୨୫ ଡିସେମ୍ବର ୧୯୭୨), ରାଜାଜୀ ବା ସିଆର ଭାବେ ମଧ୍ୟ ପରିଚିତ, ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ତଥା ଲେଖକ ଥିଲେ । ଭାରତର ସର୍ବୋଚ୍ଚ
ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ ରାଜାଜୀ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗର ରାଜ୍ୟପାଳ, ମାଡ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ
କେନ୍ଦ୍ରରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ଭାବେ
କାର୍ଯ୍ୟ କରିଥିଲେ । ସେ ସ୍ୱତନ୍ତ୍ର ପାର୍ଟି ନାମରେ ଏକ ଦଳ ଗଠନ କରିଥିଲେ ।
ଜୀବନୀ
ତାମିଲନାଡୁର
କୃଷ୍ଣାଗିରୀ ଜିଲ୍ଲା ଅନ୍ତର୍ଗତ ଥୋରାପଲିଠାରେ ୧୮୭୮ ମସିହା ଡିସେମ୍ବର ୧୦ତାରିଖରେ ସେ
ଜନ୍ମଗ୍ରହଣ କରିଥିଲେ । ବାଲ୍ୟଶିକ୍ଷା ପରେ ବେଙ୍ଗାଲୂରୁର ସେଣ୍ଟ୍ରାଲ କଲେଜ ଓ ମାଡ୍ରାସର
ପ୍ରେସିଡେନ୍ସୀ କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୦୦ରେ ସେ ଆଇନ ବ୍ୟବସାୟ ଆରମ୍ଭ
କରିଥିଲେ । ସାଲେମ ପୌରାଞ୍ଚଳର କାଉନ୍ସିଲର ଭାବେ ସେ ପ୍ରଥମେ ରାଜନୀତିରେ ପ୍ରବେଶ କରିଥିଲେ ।
ପରେ ସେ ସାଲେମ ପୌରାଞ୍ଚଳର ଅଧ୍ୟକ୍ଷ ହୋଇଥିଲେ । ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ରାୱଲାଟ ଆଇନ, ଅସହଯୋଗ ଆନ୍ଦୋଳନ, ଭାଇକୋମ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ
ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୦ରେ ସେ ଜେଲ ଯାଇଥିଲେ । ୧୯୩୭ରେ ସେ ମାଡ୍ରାସ
ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଜର୍ମାନୀ ବିରୋଧରେ ବ୍ରିଟେନ
ଯୁଦ୍ଧ ଘୋଷଣା କରିବା ପରେ ୧୯୪୦ମସିହାରେ ସେ ଇସ୍ତଫା ଦେଇଥିଲେ । ଯୁଦ୍ଧରେ ବ୍ରିଟେନକୁ ସହଯୋଗ
କରିବା ପାଇଁ ସେ କହିବା ସହ ଭାରତଛାଡ଼ ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ମହମ୍ମଦ ଅଲି ଜିନା ଓ
ମୁସଲିମ ଲିଗ ସହ ଆଲୋଚନା କରି କେତେକ ପ୍ରସ୍ତାବ ଦେଇଥିଲେ ଯାହା ସି.ଆର ଫର୍ମୁଲା ନାମରେ ନାମିତ
। ୧୯୪୬ ମସିହାରେ ଦେଶର ଅନ୍ତରୀଣ ସରକାରରେ ସେ ଶିଳ୍ପ, ଶିକ୍ଷା ଓ ଅର୍ଥମନ୍ତ୍ରୀ ଥିଲେ । ରାଜାଜୀ ପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ
କୁରାଇ ‘ଓନରୁମ ଇଲାଇ’ର ସ୍ୱର ସଂଯୋଜନା କରିଥିଲେ । ୧୯୭୨ ମସିହା
ଡିସେମ୍ବର ୨୫ତାରିଖ ଦିନ ତାଙ୍କର ପରଲୋକ ଘଟିଥିଲା ।


0 Comments