ରମାଦେବୀ
ଚୌଧୁରୀ
ଜନ୍ମ
ଓ ଜନ୍ମସ୍ଥାନ: ୩ ଡିସେମ୍ବର ୧୮୯୯
ସତ୍ୟଭାମାପୁର, କଟକ, ଓଡ଼ିଶା
ମୃତ୍ୟୁ: ୨୨
ଜୁଲାଇ ୧୯୮୫ (୮୫ ବର୍ଷ)
ଜାତୀୟତା: ଭାରତୀୟ
ନାଗରିକତା: ଭାରତୀୟ
ଜୀବିକା: ସ୍ୱାଧୀନତା
ସଂଗ୍ରାମୀ
ଜୀବନସାଥି ଗୋପବନ୍ଧୁ ଚୌଧୁରୀ
ସନ୍ତାନ: ମନମୋହନ
ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା
ବାପା
ବୋଉ: ଗୋପାଳ ବଲ୍ଲଭ ଦାସ (ବାପା)
ସମ୍ପର୍କୀୟ: ଉତ୍କଳଗୌରବ
ମଧୁସୂଦନ ଦାସ (ବଡ଼ ବାପା)
ରମାଦେବୀ
ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ
ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ
ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ
ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ
ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ
ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ପରିବାର
୧୯୧୪
ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ
କରିଥିଲେ । ଗୋପବନ୍ଧୁ ଥିଲେ କଟକର ପ୍ରସିଦ୍ଧ ଓକିଲ ତଥା ନାମକରା ଜମିଦାର ଗୋକୁଳାନନ୍ଦ
ଚୌଧୁରୀଙ୍କ ପୁତ୍ର । ସେସମୟର ମର୍ଯ୍ୟାଦାସମ୍ପନ୍ନ ଡେପୁଟି କଲେକ୍ଟର ପଦବୀ ଛାଡ଼ି ଗୋପବନ୍ଧୁ
ସସ୍ତ୍ରୀକ ସ୍ୱଦେଶୀ ଆନ୍ଦୋଳନରେ ସାମିଲ ହୋଇଗଲେ । ପରେ ପରେ ତାଙ୍କ ଅନୁଜ ନବକୃଷ୍ଣ ଚୌଧୁରୀ, ଭ୍ରାତୃବଧୂ ମାଳତୀ ଚୌଧୁରୀ, ପୁତ୍ର ମନମୋହନ ଚୌଧୁରୀ, କନ୍ୟା ଅନ୍ନପୂର୍ଣ୍ଣା ଦେଶ ସେବାକୁ ଜୀବନର
ବ୍ରତ ରୂପେ ଗ୍ରହଣ କରି ନେଇଥିଲେ ।
ସ୍ୱାଧୀନତା
ସଂଗ୍ରାମରେ ଯୋଗଦାନ
୧୯୨୧
ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ
ଦୁଇଗୋଟି ସାଧାରଣ ସମାବେଶରେ ଯୋଗଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ, ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି
ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ
ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ
ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା
ଆରମ୍ଭ କରିଥିଲେ ଓ ଖଦୀବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ ।
୧୯୩୦ର
ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର
ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ
ଦାୟିତ୍ୱ ନେଇଥିଲେ ରମାଦେବୀ । ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ
ଉତ୍କଳଗୌରବ ମଧୁସୂଦନଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର
ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । କଟକ ରହଣି ସମୟରେ ମଧୁସୂଦନଙ୍କ ସଞ୍ଚାଳିତ
କୁଟୀର ଶିଳ୍ପ, ତାରକସୀ ଶିଳ୍ପ, ଚମଡ଼ା ଶିଳ୍ପ କେନ୍ଦ୍ରଗୁଡ଼ିକ ଦେଖି
ଗାନ୍ଧିଜୀ ପ୍ରଭାବିତ ହୋଇ ଯାଇଥିଲେ । କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଗାନ୍ଧିଜୀ ଆରମ୍ଭ କରିଥିଲେ
। ରମାଦେବୀ ଛାଇ ପରି ତାଙ୍କ ସଙ୍ଗେ ସଙ୍ଗେ ରହି ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ
ସମସ୍ତଙ୍କୁ ଶୁଣାଉ ଥିଲେ । ବଡ଼ବାପା ମଧୁସୂଦନ ଓ ଗାନ୍ଧିଜୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ
ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢ଼ିଥିଲେ "ବରି ଆଶ୍ରମ' । ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦
ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖାଗଲା । ୧୯୪୨ ଭାରତଛାଡ଼
ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ମା' ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଲେ । ଦେଶ
ସ୍ୱାଧୀନ ହେବା ପରେ ବହୁ ଜନନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇଉଠିଲେ । ମାତ୍ର ଏହି ଦେଶ ସେବକ
ଦମ୍ପତି ସେଥିରୁ ନିବୃତ ରହି ଜନସେବାକୁ ଧର୍ମଭାବେ ମାନି ନେଇଥିଲେ । ୧୯୫୫ ମସିହା ବିନୋବାଜୀଙ୍କ
ଭୂଦାନ ଯଜ୍ଞର ସଫଳତା ପଛରେ ରମାଦେବୀଙ୍କର ଅଭୟ ହସ୍ତ ଥିଲା । ସମସ୍ତ ପରିବାର ସଦସ୍ୟ ଏହି ମହାନ
କାର୍ଯ୍ୟରେ ନିଜକୁ ସାମିଲ କରି ଏକ ଆଦର୍ଶ ସ୍ଥାପନ କରିଯାଇଛନ୍ତି ।
୧୯୫୮
ମସିହା ଏପ୍ରିଲ ୨୯ ସ୍ୱାମୀ ଗୋପବନ୍ଧୁଙ୍କ ମୃତ୍ୟୁ ରମାଦେବୀଙ୍କୁ ନିଃସଙ୍ଗ କରିଦେଲା । ୧୯୬୨
ଚୀନ୍ ଭାରତ ଯୁଦ୍ଧ ସମୟରେ ନିଜେ ସେବାଦଳ ଧରି ଦୁର୍ଦ୍ଦିନରେ ପଡ଼ିଥିବା ଭାରତୀୟ ଜବାନମାନଙ୍କୁ
ସେବା ସହ ସାହସ ପ୍ରଦାନ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ
ଜରୁରିକାଳୀନ ପରିସ୍ଥିତିର ଦୃଢ଼ ମୁକାବିଲା କରିଥିଲେ ଜୟପ୍ରକାଶ ନାରାୟଣ । ରମାଦେବୀ ଭାରତୀୟ
ଗଣତନ୍ତ୍ରର ମାନ ରକ୍ଷା ଲାଗି ଜୟପ୍ରକାଶଜୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ଭୁବନେଶ୍ୱରରେ ଏକ ବିଶାଳ
ସମାବେଶ କରାଇଥିଲେ । ୧୪୪ଧାରା ଜାରି ସତ୍ତ୍ୱେ ସମାବେଶର ଅଗ୍ରଭାଗରେ ରମାଦେବୀଙ୍କୁ ଦେଖି
ପ୍ରଶାସନ ପଛଘୁଞ୍ଚା ଦେଇଥିଲା । ବହୁ ଜନନାୟକ ଜେଲ୍ ଗଲେ, ମାତ୍ର ମା' ରମାଦେବୀଙ୍କୁ ଗିରଫ କରିବାକୁ କେହି ସାହସ
କରି ନଥିଲେ ।
ମୃତ୍ୟୁ
ରମାଦେବୀ
୧୯୮୫ ମସିହା ଜୁଲାଇ ୨୨ଦିନ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଶାର ମାନ୍ୟବର
ରାଜ୍ୟପାଳ ବିଶ୍ୱମ୍ଭରନାଥ ପାଣ୍ଡେ କାନ୍ଦ କାନ୍ଦ ହୋଇ କହିଥିଲେ- "ସେ ଓଡ଼ିଆ ଜାତିର ମା' ନଥିଲେ, ମୋର ମଧ୍ୟ ମା'
ଥିଲେ' । କୌଣସି ଉଚ୍ଚ ପଦବୀରେ ନଥାଇ ମଧ୍ୟ ତାଙ୍କ ପାଇଁ ରାଷ୍ଟ୍ରୀୟ ମର୍ଯ୍ୟାଦା
ମିଳିଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁଖାଗ୍ନି ଦେଇଥିଲେ ପୁତ୍ର ମନମୋହନ । ତାଙ୍କ ସ୍ମରଣରେ
ଏକ ତଟରକ୍ଷୀ ଜାହାଜର ନାମ ମା'
ରମାଦେବୀ ରଖାଯାଇଛି । ରାଜଧାନୀ
ଭୁବନେଶ୍ୱରରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ
ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଦେଇଛି । ସମର୍ପିତ ସେବା ଲାଗି ମିଳିଛି ସମ୍ମାନଜନକ
"ଯମୁନାଲାଲ ବାଜାଜ' ପୁରସ୍କାର ।


0 Comments